ସଂଖ୍ୟା ପୁନଃନିର୍ଦ୍ଧାରଣ ବିବାଦ
ଏବେ ଦକ୍ଷିଣ ଭାରତର ରାଜ୍ୟମାନେ ଲୋକସଭା ଓ ରାଜ୍ୟ ବିଧାନସଭା ଆସନର ସମ୍ଭାବ୍ୟ (୨୦୨୬ ପରେ) ସଂଖ୍ୟା ପୁନଃନିର୍ଦ୍ଧାରଣକୁ
ନେଇ ପ୍ରତିବାଦ ଆରମ୍ଭ କରିସାରିଛନ୍ତି । ଏହି ପ୍ରତିବାଦରେ ଦକ୍ଷିଣଭାରତର ପ୍ରାୟତଃ ସମସ୍ତ ରାଜ୍ୟ ଯଥା: ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ,
ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସମେତ ଆମ ରାଜ୍ୟ ଓଡ଼ିଶା ଓ ଉତ୍ତରଭାରତର ପଞ୍ଜାବ ସାମିଲ ହୋଇଛନ୍ତି । ଯେହେତୁ ରାଜ୍ୟ ବିଧାନସଭାର
ଆସନ ସଂଖ୍ୟା ମଧ୍ୟ ପୁନଃନିର୍ଦ୍ଧାରିତ ହେବ, ସେଥିପାଇଁ ରାଜ୍ୟସଭାରେ ଏହିସବୁ ରାଜ୍ୟମାନଙ୍କର ଆସନ ସଂଖ୍ୟା ହ୍ରାସପାଇପାରେ; ଏହିଭଳି
ଆଶଙ୍କା ମଧ୍ୟ ଏମାନଙ୍କର ରହିଛି । ଏହି ସଂଖ୍ୟା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାଟି ଭାରତୀୟ ଜନତା ପାର୍ଟି ନିୟନ୍ତ୍ରଣରେ ଥିବା ଉତ୍ତରଭାରତର ପ୍ରମୁଖ
ରାଜ୍ୟ ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ବିହାର ଭଳି ରାଜ୍ୟମାନଙ୍କୁ ବେଶି ଲାଭବାନ କରାଇବ । ସେଥିପାଇଁ ଏଥିରେ ଏକ
ରାଜନୀତିକ ଉଦ୍ଦେଶ୍ୟ ଲୁଚି ରହିଥିବା କଥା ବିରୋଧିଦଳମାନେ ଭାବୁଛନ୍ତି । କେବଳ ସେତିକି ନୁହଁ, ଅନୁସୂଚିତ ଜାତି ଓ ଅନୁସୂଚିତ
ଜନଜାତିମାନଙ୍କ ପାଇଁ ସଂରକ୍ଷିତ ଥିôବା ଆସନଗୁଡ଼ିକରେ ସୀମା ଓ ସଂଖ୍ୟା ପୁନଃନିର୍ଦ୍ଧାରଣର କେଉଁ ପ୍ରକାର ପ୍ରଭାବ ରହିବ, ସେ ସମ୍ପର୍କରେ ମଧ୍ୟ
ଅନେକ ପ୍ରଶ୍ନ ଆସୁଛି । ସଂଖ୍ୟା ପୁନଃନିର୍ଦ୍ଧାରଣର ଆଜିର ଦିନରେ ଆବଶ୍ୟକତା କେତେ ଅଛି ଏବଂ ଏଥିପାଇଁ ତର୍କ କ’ଣ ଅଛି, ଯେତିକି
ଗୁରୁତ୍ୱପୂର୍ଣ୍ଣ ନୁହଁ; ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି କାହାର ପୌରହିତ୍ୟରେ ଏହି ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଚାଲିବ । ବର୍ତ୍ତମାନ କେନ୍ଦ୍ରରେ ଥିବା ଭା.ଜ.ପା
ସରକାରଙ୍କର କୌଣସି ସମ୍ମାନନୀୟ ଗ୍ରହଣୀୟତା ହୁଏତ ନାହିଁ ଯେଉଁଥିପାଇଁ କି ସରକାରଙ୍କର ସବୁ ପଦକ୍ଷେପ ଗୁଡ଼ିକୁ ବିରୋଧିମାନେ ଏବଂ
ଚିନ୍ତାଶୀଳ ଜନଗଣ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଗତ କିଛିବର୍ଷ ଧରି ଭାରତର ସାମ୍ବିଧାନିକ ଓ ବୈଧାନିକ ସଂସ୍ଥାଗୁଡ଼ିକ ଯେଉଁଭଳି
ନୈତିକ ସଙ୍କଟ ଦେଇ ଗତି କରୁଛନ୍ତି, ତାହା ପୂର୍ବରୁ କେବେ ଦେଖା ଯାଇନଥିଲା । ଭାରତର ନିର୍ବାଚନ ଆୟୋଗର ସଦସ୍ୟମାନେ ସମସ୍ତେ
ଶାସକ ଭାଜପା ଦଳର ସରକାର ଦ୍ୱାରା ମନୋନୀତ । ଗତ ନିର୍ବାଚନଗୁଡ଼ିକରେ ନିର୍ବାଚନ ଆୟୋଗଙ୍କ ବିରୋଧରେ ଯେଉଁଭଳି ଅଭିଯୋଗ ସବୁ
ଆସିଥିଲା, ତାହା ପୂର୍ବରୁ କାମ କରି ଆସିଥିବା କୌଣସି ନିର୍ବାଚନ ଆୟୋଗଙ୍କ ବିରୋଧରେ ଆସିନଥିଲା । ଭାରତର ନ୍ୟାୟିକ ବ୍ୟବସ୍ଥାକୁ
ସରକାର ନିଜେ ଉପହାସ କଲାଭଳି କାମ କରି ଆସିଛନ୍ତି । ରିଜର୍ଭ ବ୍ୟାଙ୍କଭଳି ସଂସ୍ଥାମାନେ ସ୍ୱାଧୀନ ଭାବେ କେତେ କାମ କରିପାରୁଛନ୍ତି ତାହା
ମୁଦ୍ରା ଅବମୂଲ୍ୟାୟନ ସମୟରୁ ଆମେ ଜାଣିଛୁ । ପ୍ରତିଦିନ କେନ୍ଦ୍ରିୟ ତଦନ୍ତ ବ୍ୟୁରୋ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ସଂସ୍ଥାମାନେ କିଭଳି ଶାସକ
ଦଳର ହାତବାରିସୀ ସାଜି ବିରୋଧିଦଳ ଓ ବିରୋଧର ସ୍ୱରକୁ କଣ୍ଠରୋଧ କରିବା ପାଇଁ କାମ କରୁଛନ୍ତି , ସେ ସମ୍ପର୍କରେ ଅଭିଯୋଗର ଫର୍ଦ୍ଦ
ବେଶ୍ ଲମ୍ବା । ସଂସଦରେ ଭିନ୍ନମତ ରଖୁଥିବା ସାଂସଦମାନଙ୍କ ପାଇଁ ଉପଯୁକ୍ତ ସ୍ଥାନ ଏବଂ ସମ୍ମାନ ନାହିଁ । ଲୋକସଭାର ବାଚସ୍ପତି ଏବଂ
ରାଜ୍ୟସଭାର ଅଧ୍ୟକ୍ଷ ଉଭୟେ ସଂସଦକୁ ଶାସକ ଦଳର ଗୋଟିଏ ଅନୁଷ୍ଠାନ ହିସାବରେ ପରିଚାଳନା କରୁଛନ୍ତି ।